Unknown

 

 

 

 

 

 

 

 

 

ରାଧାକୃଷ୍ଣ ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

(ରାଧାକୃଷ୍ଣଙ୍କ ଅପୂର୍ବ, ଅଲୌକିକ ପ୍ରେମଲୀଳା ଉପରେ ଆଧାରିତ ଏ ଚଉତିଶାଟି । କୃଷ୍ଣଙ୍କୁ ପାଇବା ପାଇଁ ରାଧା ଜୀବନର ସବୁ ଦୁଃଖ ସୁଖ, ଲଜ୍ଜାକୁ ଜଳାଞ୍ଜଳି ଦେଇଛନ୍ତି । କୃଷ୍ଣଙ୍କ ବିନା କ୍ଷଣିକ ପାଇଁ ମଧ୍ୟ ରାଧାଙ୍କ ମନ ସ୍ଥିର ହୋଇ ରହିନାହିଁ । ବୈଷ୍ଣବମାନଙ୍କ ମତରେ ରାଧାକୃଷ୍ଣ ସ୍ୱୟଂ ଲକ୍ଷ୍ମୀନାରାୟଣ । ରାଧାଙ୍କ ହୃଦୟରେ କୃଷ୍ଣଙ୍କ ପାଇଁ ଯେମିତି ବିରହର ବେଦନା, କୃଷ୍ଣଙ୍କ ପ୍ରାଣ ବଲ୍ଲଭୀ ରାଧାଙ୍କ ପ୍ରତି ସେମିତି ବିରହାନଳରେ ପ୍ରଜ୍ଜ୍ୱଳିତ ହୋଇଛି । ରାଧାକୃଷ୍ଣଙ୍କ ଶାଶ୍ୱତ, ଚିରନ୍ତନ ପ୍ରେମ ହେଉଛି ‘ରାଧାକୃଷ୍ଣ ଚଉତିଶା’ ।)

 

(ରାଗ – ଶୋକ କାମୋଦୀ)

 

କୃଷ୍ଣ ବିଚ୍ଛେଦରେ କୁସୁମ ଶରରେ

ଦୁଃଖୀ ହୋଇ ଚାରୁ ଚନ୍ଦ୍ରମୁଖୀ

କରଇ ସନ୍ତାପ, ଚିନ୍ତି କାନ୍ତରୂପ

କରଜରେ ମହୀପରେ ଲେଖି

କଞ୍ଜ ନୟନୀର, ବହଇ ଲୋତକ ଜଳଧାର

କମଳା ନୟନ ଘନଶ୍ୟାମ ବିନୁ

କେବେ ହେଁ ତା ମନ ନୋହେ ସ୍ଥିର ।୧।

 

କ୍ଷଣେ, କ୍ଷଣେ, ଶ୍ୱାସ ପକାଇ ବିରସ

କ୍ଷଣକେ ବିହ୍ୱଳ ହୋଇ ବାଳା

କ୍ଷଣେ କ୍ଷଣେ ଝାଳ, ବହଇ ପ୍ରବଳ

କ୍ଷଣକେ ଟାଙ୍କୋରେ ଲୋମ ମାଳା

କ୍ଷୀଣୋଦରୀ ତନୁ, ଅତନୁ ଶରଭେ ହେଲା ତନୁ

ଖେଳିବା ହସିବା, ବଚନ ଭାସିବା

ସବୁ ସୁଖ ପାସୋରିଲା ମନୁ ।୨।

 

ଗୁରୁ ସୁକୁମାରୀ, ନବୀନା କିଶୋରୀ

ଘର ଘୋରବନ ପ୍ରାୟେ ମଣେ

ଗୀତ ବାଦ୍ୟ ନୃତ୍ୟ, ରସେ ତାର ଚିତ୍ତ

ନରସେ ନିଷ୍ଠୁର କାମ ବାଣେ

ଗୁରୁ ନିତମ୍ବିନୀ, ଗୋକୁଳ ଚନ୍ଦ୍ରମା ଗୁଣ ଗୁଣି

ଗିରିବର ଧର ହେ ବ୍ରଜସୁନ୍ଦର

ବୋଲିଣ ରୋଦନ କରେ ପୁଣି ।୩।

 

ଘନ ଜଘନାର, ଘଟଣସ୍ତନାର

ଭାଳୁ ନ ସରଇ ନିଶିଦିନ

ଘନ ଶ୍ୱାସ ପୁଣ, ପକାଇ ତାମନ

ନିରନ୍ତରେ ହୋଏ ଛନଛନ

ଘେନି ସଖୀ ଜନେ, କହିଲେ ଯେତେକ ସ୍ନେହବାଣୀ

ଘେନିଲା ନାହିଁ କମଳଦଳ ନେତ୍ରୀ

ରସିକା ନାଗରୀ ଶିରୋମଣୀ ।୪।

 

ଭାବାର୍ଥ- (୧-୪) କୃଷ୍ଣଙ୍କ ବିରହ ବିଚ୍ଛେଦଜନିତ ଯନ୍ତ୍ରଣାରେ ଦୁଃଖୀ ହୋଇ, କୁସୁମ ଶରରେ ସନ୍ତାପିତ ହୋଇ ସ୍ୱାମୀଙ୍କ ରୂପକୁ ଚାରୁଚନ୍ଦ୍ରମା ରାଧା ଝୁରୁଛନ୍ତି । ନଖରେ ଭୂମି ଉପରେ ଲେଖି ପଦ୍ମନୟନୀ ଆଖିରୁ ଲୁହ ଝରାଇଲେ । କୃଷ୍ଣ ବିନା ରାଧାଙ୍କ ମନ କେବେ ହେଲେ ସ୍ଥିର ରହୁନାହିଁ । କ୍ଷଣକୁ କ୍ଷଣ ଶ୍ୱାସ ପକାଇ ବିରସ ମନରେ କ୍ଷଣକରେ ରାଧା ବିହ୍ୱଳ ହୋଇପଡ଼ନ୍ତି । କ୍ଷଣ କ୍ଷଣରେ ଦେହରୁ ପ୍ରବଳ ଝାଳ ବହେ, କ୍ଷଣ କ୍ଷଣରେ ଲୋମଟାଙ୍କୁରି ଉଠେ । କ୍ଷୀଣୋଦରୀ ରାଧାଙ୍କ ତନୁ କନ୍ଦର୍ପ ଶରରେ ଜର୍ଜରିତା ହୋଇଗଲା । ତାଙ୍କ ମନ ମଧ୍ୟରୁ ଖେଳିବା, ହସିବା, କଥା କହିବା ସବୁସୁଖ ପାସୋରି ହୋଇଗଲା ।

ସୁକୁମାରୀ, ନବୀନା କିଶୋରୀ ରାଧାଙ୍କ ପାଇଁ ଘରଟା ଘୋର ବନପ୍ରାୟ ମନେ ହେଲା-। ନିଷ୍ଠୁର କନ୍ଦର୍ପର ବାଣରେ ଜର୍ଜରିତା ରାଧାଙ୍କ ମନ ଗୀତ, ବାଦ୍ୟ, ନୃତ୍ୟ ରସରେ ରସିଲା ନାହିଁ । ସୁନ୍ଦରୀ ଶିରୋମଣି ଗୋକୁଳ ଚନ୍ଦ୍ରମା ଶ୍ରୀକୃଷ୍ଣଙ୍କ ଗୁଣ ଗୁଣି ରୋଦନ କରିବାକୁ ଲାଗିଲେ । ବାହୁନି ବାହୁନି ପୁଣି ହେ ଗିରିବର ଧର, ହେ ବ୍ରଜସୁନ୍ଦର କହି କାନ୍ଦିବାକୁ ଲାଗିଲେ । ଘନଜଘନା, ଘନସ୍ତନା ରାଧା କୃଷ୍ଣଙ୍କୁ ନିଶିଦିନ ଝୁରିଲେ ମଧ୍ୟ ତାହା ସରିଲା ନାହିଁ । ଦୀର୍ଘଶ୍ୱାସ ଛାଡ଼ି ନିରନ୍ତର ମନରେ ଝୁରିବାରେ ଲାଗିଲେ । ମନ ଛନ୍ନଛନ୍ନ ହେଲା । ସଖୀମାନେ ଯେତେ କରି ସ୍ନେହବାଣୀ କହି ବୁଝାଇଲେ- ତାକୁ କମଳଦଳ ନେତ୍ରୀ ରସିକା ନାଗରୀ ଶିରୋମଣି ରାଧା ମନରେ ଘେନିଲେ ନାହିଁ-

ନ କରେ ଆହାର, ନକରେ ବିହାର

ନ କରେ ଶୟନ ଶର୍ଯ୍ୟାପରେ

ନ ବାନ୍ଧଇ କେଶ, ନୁହଇ ସୁବେଶ

ନ ଦେଖଇ କିଛି ନୟନରେ

ନାନା ଉପଚାର, ଚାହିଁଲେ ଚମକି ପଡ଼େ ଅଙ୍ଗ

ନିଅ ନିଅ ବୋଲି ନୟନ ବୁଜଇ

ଆତଙ୍କେ ଡାକଇ ଶିରୀରଙ୍ଗ ।୫।

 

ଚନ୍ଦନ, ପବନ, ଗରଳ ସମାନ

ଚନ୍ଦ୍ରକର ଚଣ୍ଡ ପ୍ରାୟ ମଣେ

ଚାରିଆଡ଼େ ଶୁଣି, ମତ୍ତ ପିକ ବାଣୀ

ଚିତ୍ତେ ମହାଭୟ କରି ଘେନେ

ଚାରୁ ଚାମୀକର, ଚମ୍ପକ ବରନ କଳେବର

ଚାହୁଁ ଚାହୁଁ ପାଣ୍ଡୁ ବର୍ଣ୍ଣକୁ ଭଜିଲା

ଦିବସେ ଯେସନ ଶଶଦନ ।୬।

 

କ୍ଷିତି ମଣ୍ଡନା ବିରହ ଦେଖି ଦୂତୀ

କ୍ଷୋଭ ପାଇ ବେଗେ ଗଲା ଚଳି

ଛଛନ୍ଦେ ପ୍ରବେଶ ହୋଇ ବୃନ୍ଦାବନେ

କ୍ଷଣକେ ଭେଟିଲା ବନମାଳୀ

ଛାଡ଼ି ଖରଶ୍ୱାସ, ବୋଇଲ ଶୁଣ ହେ ବ୍ରଜ ରାୟ

କ୍ଷୀରଦାତ୍ରୀ ଧାତ୍ରୀଠାରୁ ଶିଖିଲକି

ସ୍ତିରୀ ବିନାଶକୁ ନାହିଁ ଭୟ ।୭।

 

ଜାଣିଲୁ ସଂସାର ମଧ୍ୟେ ଅସୁନ୍ଦର

କଥାଏ ସୁନ୍ଦର ହେଲା ଯେବେ

ଜଗତ ମୋହନା ରାଧା ପ୍ରାଣ ଘେନା

ହତ୍ୟାର କାରଣ ହେଲ ଏବେ

ଜଗମୋହନ ହେ ଏଥି କିଛି ନାହିଁ ପଉରୁଷ

ଯେବେ ସେ ଅବଳା ଯୁବତୀ ନୁହନ୍ତା

ତେବେ ବାରେକ ହୁଅନ୍ତା ଯଶ ।୮।

 

ଭାବାର୍ଥ- (୫-୮) କୃଷ୍ଣଙ୍କ ବିରହଜନିତ ଯନ୍ତ୍ରଣାରେ ଭାଙ୍ଗିପଡ଼ିଲେ ରାଧା । ଆହାର, ବିହାର, ଶୟନରେ ତାଙ୍କ ମନ ଲାଗିଲା ନାହିଁ । ସୁବେଶ ହେଲେ ନାହିଁ, କେଶ ବାନ୍ଧିଲେ ନାହିଁ, କୌଣସି ଭଲ ଜିନିଷରେ ତାଙ୍କ ଚକ୍ଷୁ ଲାଖିଲା ନାହିଁ । ଏଥିପାଇଁ ତାଙ୍କୁ ସଖୀମାନେ ଉପଚାର କଲେ । ରାଧା ତାକୁ ଦେଖି ଚମକି ପଡ଼ିଲେ । ନିଅ ନିଅ ବୋଲି ଆଖି ବୁଜି ଦେଲେ । ଭୟରେ କୃଷ୍ଣଙ୍କୁ ପ୍ରାର୍ଥନା କଲେ ।

 

ରାଧାଙ୍କ ମନ ଏତେ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଥିଲା ଯେ, ଚନ୍ଦନ, ପବନ ତାଙ୍କୁ ବିଷପ୍ରାୟ ମନେ ହେଲା । ଚନ୍ଦ୍ରକିରଣ ଅତ୍ୟନ୍ତ ଦୁଃସହ ହେଲା । ଚତୁର୍ଦ୍ଦିଗରୁ ଶୁଭୁଥିବା ମତ୍ତ କୋଇଲିର କୁହୁତାନ ରାଧାଙ୍କ ମନରେ ମହାଭୟ ସୃଷ୍ଟି କଲା । ତାଙ୍କର ଚମ୍ପକ ବର୍ଣ୍ଣ କଳେବର ଚାହୁଁଚାହୁଁ ଦିବସରେ ଯେମିତି ଚନ୍ଦ୍ର ଦେଖାଗଲା ଭଳି ପାଣ୍ଡୁରବର୍ଣ୍ଣ ଧାରଣ କଲା ।

 

ପୃଥିବୀ ମଣ୍ଡନା ରାଧାଙ୍କ ବିରହ ଦୁଃଖ ଦେଖି ସଖୀ ଅତ୍ୟନ୍ତ କ୍ଷୋଭିତ ମନରେ ଶୀଘ୍ର ଯାଇ ବୃନ୍ଦାବନରେ ପହଞ୍ଚିଲା ଓ ସଙ୍ଗେ ସଙ୍ଗେ କୃଷ୍ଣଙ୍କୁ ଭେଟିଲା । ସେ ଦୀର୍ଘଶ୍ୱାସ ଛାଡ଼ି କହିଲା- ହେ ବ୍ରଜରାୟ ଶୁଣ । କ୍ଷୀରଦାତ୍ରୀ ଧାତ୍ରୀକୁ ବିନାଶ କରିଛ । ସ୍ତ୍ରୀ ବଧକଥା ତା’ ଠାରୁ ଶିଖିଲ ନା କ’ଣ ? ସ୍ତ୍ରୀ ବିନାଶକୁ ତୁମର ଭୟ ନାହିଁ ? ଆମେ ଏବେ ଜାଣିଲୁ, ସଂସାର ମଧ୍ୟରେ ଅସୁନ୍ଦର କଥାଟା ସୁନ୍ଦର ହେଲା, ଜଗତମୋହିନୀ ରାଧାଙ୍କ ପ୍ରାଣଘେନା ହେଲ । ତୁମେ ତା’ ହତ୍ୟାର କାରଣ ହେଲ । ହେ ଜଗତମୋହନ, ତୁମେ ଯାହା କରୁଛ, ଏଥିରେ କିଛି ପୌରୁଷ ନାହିଁ । ସେ ଯେବେ ଅବଳା ଯୁବତୀ ହୋଇ ନ ଥା’ନ୍ତା, ହୁଏତ ଯଶ ହୁଅନ୍ତା ।

 

ଝୁରୁଥାଅ ବସି କୁଞ୍ଜବନେ ପଶି

ଯାହା ଅଙ୍ଗ ସଙ୍ଗ ଲଭିବାକୁ

ଝସକେତୁ ବାଣ ଘାତରେ ପରାଣ

ଯିବା ବେଳେ ଦୟା ନାହିଁ ତାକୁ

ଝାଡ଼ ବିନୋଦ ହେ ଝିମିଣ୍ଟକେ କଥା ଅଛି ଆଉ

ଝଲକା ବରନା ଝଳି ଗଉରୀକି

ଦେଖ ଯା ଜୀବନେ ଥାଉଁ ଥାଉଁ ।୯।

 

ନବ ଚନ୍ଦ୍ରକଳା ପ୍ରାୟେକ ଅବଳା

ପଡ଼ିଛି ଅବନୀ ଶୟନରେ

ନେତ୍ରୁ ନୀର ଆସି, ପଡ଼ୁଅଛି ଖସି

ନିଦ୍ରା ନ ମାଡ଼ଇ ନୟନରେ

ନନ୍ଦ ନନ୍ଦନ ହେ, ନୋହୁଛି ତାହାର କି ବେଦନା

ନିର୍ମଳ ହୃଦରେ ତୁମ୍ଭଙ୍କୁ ଭଜୁଛି

ଫଳ ଫଳିବାର ଏହି ସିନା ।୧୦।

 

ଟେକି ଯେ ଥିଲୁ କରୁଣାସିନ୍ଧୁ ବୋଲି

ଏବେ ତ ହୋଇଲା ବିପରୀତ

ଟଙ୍କଧର ରିପୁ ବିପତ୍ତି ସମୟେ

ଟିକାଏ ଦ୍ରବିଲା ନାହିଁ ଚିତ୍ତ

ଟାଣ ଭାଙ୍ଗିଲ ହେ, ଯେତେରୂପେ କରିଥିଲୁ ଆଶ

ଟାହି ନମଣି ବିଜୟେ କର ଏବେ

ବିଳମ୍ବ ନ କରି ପୀତବାସ ।୧୧।

 

ଠାଠିକ କରି ଶୁଣିଣ ଦୂତୀବାଣୀ

ମନ୍ଦମନ୍ଦ ହୋଇ ହସିକରି

ଠାକୁରାଣୀଙ୍କ ପୁରେ ଯାଇଁ ପ୍ରବେଶ

ହୋଇଲେ ଦୂତୀକା କର ଧରି

ସେ ଯେ ଚନ୍ଦ୍ରମୁଖୀ, ଠାକୁର ଶ୍ରୀମୁଖ ଦରଶନେ

ଠିକ ହୋଇ ସବୁ ଯେତେ ଭୋଗମାନ

ପ୍ରବେଶ ହୋଇଲା ଆସି ମନେ ।୧୨।

 

ଭାବାର୍ଥ- (୯-୧୨) କୁଞ୍ଜବନରେ ପଶି ଯାହାଙ୍କ ଅଙ୍ଗସଙ୍ଗ ପାଇବାକୁ ଝୁରୁଥାଅ, ସେ ଏବେ କନ୍ଦର୍ପର ବାଣ ଆଘାତରେ କଲବଲ ହେଉଛି । ତା ପ୍ରାଣ ଯାଉଛି । ଏ ସମୟରେ ତା’ ପ୍ରତି ତୁମର ଦୟା ନାହିଁ ? ଜୀବନରେ ଥାଉଁ ଥାଉଁ ଝଲକ ବରନାକୁ ଦେଖିବାକୁ ଯାଅ ।

 

ନବ ଚନ୍ଦ୍ରକଳାପ୍ରାୟ ସେଇ ଅବଳା ମାଟି ଉପରେ ଶୋଇ ରହୁଛି । ଆଖିରୁ ଲୁହ ଝରି ତଳେ ପଡ଼ୁଛି । ତା’ ଆଖିକୁ ନିଦ ଆସୁନି । ହେ ନନ୍ଦନନ୍ଦନ, ତା’ର ବିରହ ବେଦନା କେତେ ନ ହେଉଛି ? ତୁମକୁ ନିର୍ମଳ ହୃଦୟରେ ମୁଁ ନିବେଦନ ଜଣାଉଛି, ତାକୁ ଏ ବିପତ୍ତିରୁ ଉଦ୍ଧାର କର ।

 

କରୁଣାସିନ୍ଧୁ ବୋଲି ଗର୍ବରେ ଡାକ ଦେଉଛ । ଏବେ ତ ତାହା ବିପରୀତ ହେଲା । ଶିବ (ଟଙ୍କଧର)ଙ୍କ ଶତ୍ରୁ କାମଦେବ ଏହିଭଳି ବିପତ୍ତି ସମୟରେ ତା’ ମନକୁ ସମାନ୍ୟ ମାତ୍ର ଦ୍ରବାଇଲା ନାହିଁ। ହେ କୃଷ୍ଣ, ତା’ର ଗର୍ବ ଭାଙ୍ଗି ଦେଲ । ଏହାକୁ ଟାହିଟାପରା ନ ଭାବି, ବିଳମ୍ବ ନ କରି ଶୀଘ୍ର ରାଧା ପାଖକୁ ଯାଅ ।

 

ଦୂତୀଠାରୁ ସମସ୍ତ ବୃତ୍ତାନ୍ତ ଶୁଣି କୃଷ୍ଣ ମୃଦୁ ଭାବରେ ହସି ହସି ଦୂତୀର ହାତ ଧରି ରାଧାଙ୍କ ପୁରରେ ପ୍ରବେଶ କଲେ । କୃଷ୍ଣଙ୍କ ମୁଖ ଦର୍ଶନ କରି ଚନ୍ଦ୍ରମୁଖୀ ରାଧା ତାଙ୍କ ମନରେ ଯେତେ ସବୁ ରାଗ ଥିଲା, ଦେଖାଇଲେ ।

 

ଡୋଳା ପ୍ରତିମା ଡାଳିମ୍ବ ଜୀବଦନ୍ତୀ

ଡମ୍ବରୁ ମଧ୍ୟାର ଦେଖି କ୍ରୋଧ

ଡକା କରୁଁ କାମ ସ୍ଥିର ନୋହି ଶ୍ୟାମ

କରନ୍ତି ତାହାକୁ ଧୀରେ ବୋଧ

ଡୋଳା ମଣ୍ଡନୀରେ, କରିନାହିଁ କିଛି ଅପରାଧ

ଡମ୍ବରୁ ଧର ଅଇରି ବିଶିଖରେ

ନ ଦିଆଅ ଆଉ ମୋତେ ଖୋଜ ।୧୩।

 

ଢମ କହୁନାହିଁ ତୋହବିନୁ କେହି

ଆଉ ନାହିଁ ମୋର ପ୍ରତିକାର

ଢାଙ୍କି ପକ୍ଷ୍ମ ଆନନକୁ ତ ନ ଚାହୁଁ

ଏଥକୁ ବନ୍ଧୁ ନିରାଶ ମୋର

ଢଳ ନୟନୀରେ, ଢାଳେ ହସି ଚାହଁ ମୋତେ ଥରେ

ଧକ୍‌କା ଦିଆଇ କାମଦେବ ଡାକଇ

ଡରେ ମୁଁ ଜଣାଏ ବାରେବାରେ ।୧୪।

 

ଅନଳପ୍ରାୟେ ଜନମ ସ୍ଥାନ ଦହେ

ବିଚାର ନକରି ଯେଉଁ କାମ

ଅନୁଭବୀ ହୋଇ ନବୁଝୁ କିପାଁଇ

ବିଫଳ ହେବ କି ଦାସ ଶ୍ରମ

ଆରେ ନାରୀମଣି, ଆହୁରି କଥାଏ ଅଛି ପୁଣି

ଆମ୍ଭ ଦୁହିଁଙ୍କିତ ବଳି ମାପୁଅଛି

ପାଇଲେ ହେଁ ଯିବ ଏହି କ୍ଷଣ ।୧୫।

 

ତାହାର ବଇରି ମୁଁ ସହଜେ ତୋତେ

ମାଗୁଛି ବଳି ଦେବାକୁ ତାକୁ

ତୁହିତ କୃପଣ ନ ଦେବାରୁ ସରି

ହେଲୁ ବାମଦେବ ମାର୍ଗଣକୁ

ତୋ ପ୍ରସନ୍ନରୁ, ତାହ ସୁନ୍ଦରୀକୁ ସେହି ପାଉ

ତ୍ରିବଳୀ ଶୋଭିନୀ ତ୍ରୈଲୋକ୍ୟ ମୋହିନୀ

ମୋର ମନୋରଥ ପୂର୍ଣ୍ଣ ହେଉ ।୧୬।

ଭାବାର୍ଥ- (୧୩-୧୬) ଡୋଳା ପ୍ରତିମା, ଡାଳିମ୍ବ ବୀଜଦନ୍ତୀ, ଡମ୍ବରୁ ମଧ୍ୟା ରାଧାଙ୍କର କ୍ରୋଧ ଦେଖି କୃଷ୍ଣ ତାଙ୍କୁ ଧୀର ଭାବରେ ବୁଝାଇଲେ, ରେ ଡୋଳା ମଣ୍ଡନା, ମୋ ଉପରେ କ୍ରୋଧ ହୁଅ ନାହିଁ । ମୁଁ କିଛି ଅପରାଧ କରିନାହିଁ । କାମର ଶରରେ ମୋତେ ଆଉ ଜର୍ଜରିତ କରନା ।

ରେ ସୁନ୍ଦରି, ତୋ ବିନା ମୋର ଅନ୍ୟ କେହି ନାହିଁ । ଏହାଛଡ଼ା ମୋର ଅନ୍ୟ ଉପାୟ ବି ନାହିଁ । ଏ କଥା ମୁଁ ଢମ କରି କହୁନାହିଁ । ତୁ ରାଗରେ ମୋ ମୁହଁକୁ ଚାହୁଁ ନାହୁଁ । ତୋ ମୁହଁକୁ ଢାଙ୍କି ଦେଉଛୁ । ଏଥିରେ ମୁଁ ନିରାଶ ହୋଇ ପଡ଼ିଛି । ରେ ଢଳ ନୟନି, ମୋତେ ଚାହିଁ ଥରେ ହସି ଦେ । କନ୍ଦର୍ପ ମୋତେ ବାରମ୍ବାର ଧକ୍‌କା ଦେଉଛି, ତେଣୁ ମୁଁ ତୋତେ ବାରମ୍ବାର ଏହା ଜଣାଉଛି ।

ନିଷ୍ଠୁର ଭାବେ କନ୍ଦର୍ପ ମୋତେ ଅଗ୍ନିପ୍ରାୟ ଦହନ କରୁଛି । ତୁ ନିଜେ ଅନୁଭବୀ ଅଥଚ ମୋର ଯନ୍ତ୍ରଣା ବୁଝୁନାହୁଁ କିମିତି ? ମୁଁ ଭାବୁଛି, ଏ ଦାସର ପରିଶ୍ରମ ବୃଥା ହୋଇଛିକି ? ରେ ନାରୀ ଶିରୋମଣି, ଆହୁରି କଥାଏ କହୁଛି, ଆମ ଦୁହିଁଙ୍କର ମିଳନ ହେଲେ ଏ ଯନ୍ତ୍ରଣା ଏହିକ୍ଷଣି ଚାଲିଯିବ-

କନ୍ଦର୍ପ ପରି ମୁଁ ସହଜରେ ତୋର ବଇରୀ ସାଜିଛି, ତାକୁ ବଳି ଦେବାକୁ ମୁଁ ତୋତେ ମାଗୁଛି । ତୁ କୃପଣ ପରି ହୁଅନା । ତୋର ପ୍ରସନ୍ନରୁ, ତା’ର ସୁନ୍ଦରୀକୁ ସେ ପାଉ । ରେ ତ୍ରିବଳୀ ଶୋଭିନ, ତ୍ରୈଲୋକ୍ୟମୋହିନ, ମୋର ମନୋରଥ ପୂର୍ଣ୍ଣ କରିବାରେ ତୁ ସହାୟ ହୁଅ ।

 

ଥିର ଗମନା କାମଦେବ ମହିଁମା

ଜାଣି ନାହୁଁ କି ତୁ ଥୟ କରି

ସ୍ଥାଣୁ ନୟନ ଅନଳେ ପୋଡ଼ିଦେଲେ

ଅର୍ଦ୍ଧ ସଙ୍ଗେ ବୁହାଇଲା ନାରୀ

ଥିରା ମଣ୍ଡନାରେ ଥରେ ଥରେ କେତେ ଦେଉ ଦଣ୍ଡ

ଥୟକରି କହି ନୁହେଁ ପ୍ରାଣସହୀ

ଦହି ହୋଇଯାଏ ପ୍ରାଣପିଣ୍ଡ ।୧୭।

 

ଦୟା ଜଳନିଧି ହୋଇ ଏ କି ବୁଦ୍ଧି

ଦୂର କର ମନୁ ଅଭିମାନ

ଦାସଜନ ଦୋଷ କ୍ଷମା ପଉରୁଷେ

ପ୍ରଭୁ ପଣ ହେଉ କୀରିତନ

ଦୁଃଖ ନାଶିନୀରେ ଅମୃତ ହିଁ ସିନା ପ୍ରାଣେଶ୍ୱରୀ

ଦ୍ୱିଜରାଜ ମୁହୀଁ ନେତ୍ର କୋଣେ ଚାହିଁ

ହସ ହସ ହେଲେ ଯିବି ତରି ।୧୮।

 

ଧିକ ବଞ୍ଚିବାର ମୋର ଯାହା ତୋର

ଦେଖିଲି ଶ୍ରୀଅଙ୍ଗ ଆଭୂଷଣ

ଧାତା ଏହା କଲା ପ୍ରାଣ ତ ନ ଗଲା

ମୋ ଛାର ପାଇଁ ତୋ ଏ କଷଣ

ଧୃତି ଧ୍ୱନିରେ, ଧୀରେ ଆଜ୍ଞା ଦିଅ ମୃଦୁ ଗିରେ

ଧ୍ରୁବ ଲୋକଙ୍କୁ ଚହଟି ଯାଉ ଯଶ

ପରିଜନ ବତ୍ସଳାର ଖରେ ।୧୯।

 

ନାଗରୀ ରତନ ମୋ ବିନୟ ଘେନ

ନକର ନିରାଶ ଘନକେଶି

ନିର୍ମଳ ମୋତିଦଶନୀ ବିମ୍ବାଧରୀ

ମତ୍ତକଳକଣ୍ଠି ନୀଳଭାଷୀ

ନୀଳ କୁନ୍ତଳାରେ, ନିଶ୍ଚେଁ ରୋଷ କଲୁ ଯେବେ ମୋତେ

ନଖ କରତରେ ପଛେ କରତରେ

ମଦନ ବଇରୀ ନୋହୁ ମୋତେ ।୨୦।

 

ପ୍ରଭୁପଣ ଥାଉଁ ଦଣ୍ଡକୁ ଦିଆଉ

ପର ହାତେ ଏ ତ ଅସୁନ୍ଦର

ପିକଭାଷୀ ବାହୁ ପାଖେ ବାନ୍ଧି ଦାଉ

ସାଧୁ ନଦି କୁଚ ଗିରିବର

ପ୍ରାଣ ବାନ୍ଧବୀରେ, ପାରିଲେ ନେତ୍ରାନ୍ତ କୁନ୍ତ ମୋର

ପଶୁଛି ଶରଣ ସୁରଙ୍ଗ ଚରଣ

ତଳେ ଯାହା ଇଚ୍ଛା ତାହା କର ।୨୧।

ଭାବାର୍ଥ- (୧୭-୨୧) ରେ ଧିର ଗମନା, ତୁ କ’ଣ କାମଦେବର ମହିମା ଜାଣିନାହୁଁ ? ଶିବ (ସ୍ଥାଣୁ)ଙ୍କ କୋପାନଳରେ ସେ ଜଳିଗଲା । ରେ ଧିର ମଣ୍ଡନା, ଥରେ ଥରେ ମୋତେ କେତେ ଦଣ୍ଡ ଦେଉଛୁ ? ରେ ପ୍ରାଣସହି, ମୋର ଏ ବିରହ ଦୁଃଖ କହି ହେଉନାହିଁ, ପିଣ୍ଡରୁ ପ୍ରାଣ ଯେମିତି ଚାଲିଯାଉଛି ।

ରେ ପ୍ରାଣସହି, ତୁ ଦୟାର ସାଗର ହୋଇ ଏ ବୁଦ୍ଧି କାହିଁକି ଧରୁଛୁ ? ମନରୁ ଅଭିମାନକୁ ଦୂର କର । ଏ ଦାସର ଦୋଷ କ୍ଷମା କର । ପ୍ରଭୁପଣର ପୌରୁଷ ଖ୍ୟାତ ହେଉ । ରେ ଦୁଃଖ ନାଶିନି, ତୁ ଅମୃତରେ ପରିପୂର୍ଣ୍ଣ । ରେ ଚନ୍ଦ୍ରମଖୀ, ତୁ ତୋ ନେତ୍ରକୋଣରେ ହସହସ ହୋଇ ଟିକିଏ ଚାହାଁ, ତା’ ହେଲେ ମୁଁ ତରିଯିବି ।

ରେ ପ୍ରାଣସହି, ତୋ ଅଙ୍ଗଭୂଷଣ କଦାକାର ଦେଖି ମୋତେ ଦୁଃଖି ମୋତେ ଦୁଃଖ ଲାଗୁଛି । ମୋ ଜୀବନ ଧିକ୍, ତୋର ଏ ଅବସ୍ଥା ଯାହା ଦେଖିଲି । ଧାତା ଏମିତି କରିଛି । ପ୍ରାଣ ଯାହା ଯାଉନାହିଁ । ମୋ ଭଳି ଛାର ପାଇଁ ତୁ ଏ କଷଣ ଭୋଗୁଛୁ । ତୁ ମୋତେ କୋମଳ ବାକ୍ୟରେ ଆଜ୍ଞା ଦେ । ତୋର ଯଶ ରହିବ । ଧ୍ରୁବ ଲୋକକୁ ଏହା ବ୍ୟାପିଯିବ । ତୁ ଦାସ ବତ୍ସଳା ବୋଲି ଜଗତ ଲୋକେ ଧନ୍ୟ କରିବେ ।

ରେ ନାଗରୀ ରତନ, ମୋ ବିନତି ଶୁଣ, ରେ ଘନ କେଶି, ମୋତେ ନିରାଶ କର ନାହିଁ । ରେ ନିର୍ମଳ ମୋତିଦଶନୀ, ବିମ୍ବାଧରୀ, ମତ୍ତକଳକଣ୍ଠୀ, ପିକଭାଷୀ, ନୀଳକୁନ୍ତଳା, ମୁଁ ଭାବୁଛି, ମୋ ଉପରେ ତୁ ନିଶ୍ଚୟ ରାଗିଛୁ । ନଖକରତରେ ଓ ପରେ କରତରେ ମୋତେ କନ୍ଦର୍ପ ପରି ବଇରୀ ଭାବରେ କଷଣ ଦିଅନା ।

ରେ ପ୍ରିୟା, ପ୍ରଭୁପଣ ଥାଉଁ ଥାଉଁ ପର ହାତରେ ମୋତେ ଦଣ୍ଡ ଦିଅ ନା । ଇଏ ବଡ଼ ଅସୁନ୍ଦର କଥା ହେବ । ରେ ପିକଭାଷି ବାହୁ ପାଖରେ ବାନ୍ଧି ଦାଉ ସାଧୁଛୁ । ତା’ ଉପରେ ପୁଣି ବକ୍ଷୋଜ ଲଦି ଦେଉଛୁ । ରେ ପ୍ରାଣବନ୍ଧବୀ, ତୋ ପାଖରେ ଶରଣ ପଶୁଛି, ଯାହା ଇଚ୍ଛା ତାହା କର-

ଫୁଲାଇ ଅଧର ନାସା ନାସାମଣି

ଝୁଲାଇ ରଚି ଭ୍ରୂବଲ୍ମୀ ଲୀଳା

ଫେଡ଼ି ନ କହିଲେ ହସି ଦେଇ ତିଳେ

ଖେଳାଇ ଦେ ନେତ୍ର ଅନ୍ତେଡ଼ୋଳା

ଫନ୍ଦାଧନ ଆସ, କହି ଧରୁଁ ପାଦ ତାମରସ

ଫୁଟିଗଲା ମାନ କଳିକା ବହନ

ଚହଟିଲା ସେନେହ ସୁବାସ ।୨୨।

 

ବଢ଼ିଲା ବେନି ଜନଙ୍କ ରତିରସ

ବେଳକୁ ବେଳ ବିବିଧ ରଙ୍ଗେ

ବନ ସୁନ୍ଦର ଦିଶିଲା ବେନିଅଙ୍ଗ

ଇନ୍ଦ୍ର ନୀଳମଣି ହେମ ସଙ୍ଗେ

ବନମାଳୀ ଅଙ୍ଗ, ନବ ଜଳଧର କୋଳେ ଥାଇ

ବିଧିୁମୁଖୀ ଘଟ ବିଜୁଳି ଚହଟ

ଝଟଝଟ ହୋଇ ବିରାଜଇ ।୨୩।

 

ଭାସନ୍ତି ନାନା ପ୍ରକାର ଚାଟୁବାଣୀ

ନବ ଜଳଧର ପ୍ରାୟମଣି

ଭୋଳହୋଇ ଘନରସ ବରଷନ୍ତି

ବଢ଼େ ମହାସୁଖ ତରଙ୍ଗିଣୀ

ଭାଜେ ଜ୍ଞାନବନ୍ଧୁ, ଭୁଷୁଡ଼ି ପଡ଼ଇ ଧୈର୍ଯ୍ୟ ତଟ

ଭାସିଯାଏ ଲାଜ ତଟତରୁ କାହିଁ

ଖୋଜିଲେ ଲୋଡ଼ିଲେ ନୁହେ ଭେଟ ।୨୪।

 

ମହୀମଣ୍ଡଳୀ ମାଧବ ରତିରସ

କବି ତୁଣ୍ଡ ଶାସ୍ତ୍ରେ ନୁହେ ଶେଷ

ମହା ହରଷରେ ରାଧାକୃଷ୍ଣ ବେନି

ଚନ୍ଦ୍ର କିରଣରେ ପରବେଶ

ମହୀ ଶୋଭିନୀକି, ମଦନମୋହନ କଲେ ବେଶ

ମନୋହର କରୀ କବରୀ ଖଞ୍ଜିଲେ

ପିନ୍ଧାଇଲେ ଚାରୁ ଝୀନବାସ ।୨୫।

 

ଯତନ କରିଣ ଅର୍ଦ୍ଧ କପାଳରେ

ସୁନ୍ଦର ସିନ୍ଦୂର ବିନ୍ଦୁଦେଲେ

ଜ୍ୟୋତିବର ମୋତି ବସଣୀ ନାସାରେ

କର୍ଣ୍ଣରେ କୁଣ୍ଡଳ ଶୋଭାକଲେ

ତମ୍ବୁ ନଦ ମାଳା, କମ୍ବୁ କଣ୍ଠୀ କଣ୍ଠେ ଦେଲେ ଖଞ୍ଜି

ଜଳଦ କରେ ତାଡ଼ ଆଦି ପିନ୍ଧାଇ

ରମଣୀ ରତନ ମନ ରଞ୍ଜି ।୨୬।

 

ରଚିଲେ ଖଞ୍ଜନ ନୟନେ ଅଞ୍ଜନ

ଚତୁଃସମ ନେଇ ଅଙ୍ଗେ ବୋଳି

ରଙ୍ଗାଧର ରଙ୍ଗ ତାମ୍ବୁଳେ ଚଢ଼ାଇ

ଦର୍ପଣ ଧଇଲେ ବନମାଳୀ

ରଙ୍ଗେ ହସିକରି ବୋଇଲେ ମୋ ସେବା ଏହି ସିନା

ରସ ଭାଷ ଶୁଣି ଲାଜ ହାସମିଶା

ଲପନ ପୋତିଲେ ଚନ୍ଦ୍ରାନନା ।୨୭।

 

ଭାବାର୍ଥ- (୨୨-୨୭) ରାଧା ଓଷ୍ଠକୁ ଫୁଲାଇ, ନାକର ନାସାମଣିକୁ ଝୁଲାଇ ଭ୍ରୂଲତା ଉପରକୁ ଟେକିଲେ । କୃଷ୍ଣ କିଛି ନ କହି ସାମାନ୍ୟ ହସିଲେ । ତା’ ପରେ ହେ ଧନ ଆସ କହି ରାଧାଙ୍କ ପାଦ ଧରିଲେ । ତତ୍‌କ୍ଷଣାତ୍ ମାନ-କଳିକା ବା ମାନରୂପକ କଢ଼ ଫୁଟିଗଲା । ଚାରିଆଡ଼େ ସ୍ନେହର ସୁବାସ ଚହଟି ଗଲା ।

 

ରାଧାକୃଷ୍ଣଙ୍କ ମଧ୍ୟରେ ପ୍ରେମ ରସ ବଢ଼ିଲା । ବେଳକୁ ବେଳ ବିବିଧ ରଙ୍ଗରେ ସେମାନେ ମାତିଲେ । ଇନ୍ଦ୍ରନୀଳମଣି ସହିତ ସୁବର୍ଣ୍ଣ ମିଶି ଯେପରି ଶୋଭା ଦିଶେ ସେ ନୁହେଁ ସେମିତି ଦିଶିଲେ-। ବନଭୂମି ସୁନ୍ଦର ଦିଶିଲା । ଶ୍ରୀକୃଷ୍ଣଙ୍କ ଅଙ୍ଗ ନୂଆ ମେଘ କୋଳରେ ଥାଇ ଚନ୍ଦ୍ରମୁଖୀ ରାଧା ବିଜୁଳି ପରି ଝଟକିଲେ ।

 

କୃଷ୍ଣ, ରାଧାଙ୍କୁ ଅନେକ ଚାଟୂ କରି କହିଲେ । ଏହା ଘନ ରସପ୍ରାୟ ହୋଇ ବର୍ଷିଲା । ମହସୁଖର ତରଙ୍ଗିଣୀଟିଏ ସୃଷ୍ଟିହେଲା ଯେମିତି । ଜ୍ଞାନ ହଜିଗଲା, ଧୈର୍ଯ୍ୟ ବନ୍ଧ ଭାଙ୍ଗିଗଲା । ସେଥିରେ ଲାଜ ଭାସିଗଲା । ଦୁହେଁ ଦୁହିଁଙ୍କୁ ଖୋଜିଲେ, ଲୋଡ଼ିଲେ କିନ୍ତୁ କେହି କାହାକୁ ପାଇଲେ ନାହିଁ ।

 

ରାଧା କୃଷ୍ଣଙ୍କ ପ୍ରେମ ରସ କବି ବର୍ଣ୍ଣି ପାରିବେ ନାହିଁ । ଦୁଇ ପ୍ରେମୀ ଚନ୍ଦ୍ର କିରଣରେ ମହା ଆନନ୍ଦରେ ସମୟ କାଟିଲେ । ରାଧାଙ୍କୁ କୃଷ୍ଣ ବେଶ କରାଇଲେ । ସୁନ୍ଦର କବରୀ ଖଞ୍ଜିଲେ, ଝୀନବାସ ପିନ୍ଧାଇଲେ ।

 

ଯତ୍ନର ସହିତ ରାଧାଙ୍କ ଅର୍ଦ୍ଧକପାଳରେ ସିନ୍ଦୂରବିନ୍ଦୁ ଦେଲେ । ନାକରେ ମୋତି, କାନରେ କୁଣ୍ଡଳ, କଣ୍ଠରେ କମ୍ବୁକଣ୍ଠି ମାଳ ଖଞ୍ଜିଲେ । ବାହୁରେ ତାଡ଼ ପିନ୍ଧାଇ ରାଧାଙ୍କ ମନକୁ ତୋଷ କଲେ ।

 

କୃଷ୍ଣ, ରାଧାଙ୍କ ନୟନରେ ଅଞ୍ଜନ ଲଗାଇ ଶରୀରରେ କର୍ପୂର ଚନ୍ଦନ ବୋଳିଲେ । ପାନଖିଲ ଦେଇ, ହାତରେ ସେ ଦର୍ପଣ ଧରିଲେ । ହସି କରି କହିଲେ- ମୋର ଏଇ ସେବା ତୁମପାଇଁ। କୃଷ୍ଣଙ୍କ ରସପୂର୍ଣ୍ଣ କଥା ଶୁଣି ଲାଜମିଶା ହସି ମୁଖ ତଳକୁ ତଳକୁ କଲେ ।

 

ଲାବଣ୍ୟ ନିଧିକି ଅଙ୍କଗତେ ରଖି

ରଙ୍କ ରତନ କି ଘେନି ତୋଷ

ଲଗାଇ ଉରକୁ ଆଉଜାଇ ତାଙ୍କୁ

ଆଲଟ ଧଇଲେ ପୀତବାସ

ଲଭି ଏହି ସେନା, ଲୀଳାବତୀ ବାସୁଦେବ ଲୋଭା

ପ୍ରଜ୍ଜ୍ୱଳିତ ସ୍ୱର୍ଣ୍ଣପ୍ରତିମା ପଛେ କି

ନୀଳମଣି ତନୁ ଦିଶେ ଶୋଭା ।୨୮।

 

ବୋଲନ୍ତି ଶ୍ରୀହରି ଶୁଣ ପ୍ରାଣସଖୀ

ଚିତ୍ତେ ଦୟା କରିଥିବୁ ମୋତେ

ବିକି ଦେଲା ଦାସ ଜନଠାରେ ରୋଷ

ନ ଧରିବୁ ଆଉ କଦାଚିତେ

ବିଧୁ ବଦନୀରେ, ବେଭାରେ ତୁ ମୋର ପ୍ରାଣଧନ

ବ୍ରଜପୁରେ ଥିଲେ ବୃନ୍ଦାବନ ଗଲେ

ଏକା ଜପୁଥାଏ ତୋର ଧ୍ୟାନ ।୨୯।

 

ଶୁଣି ନାରୀମଣି କୃତ କୃତ୍ୟେ ଭଣି

ଅନୁଗ୍ରହେ ଡାକ ବନ୍ଧୁ କରି

ସ୍ୱଭାବେ ସୁମନା ସ୍ତ୍ରିରୀପାତି ସିନା

ତୁମ୍ଭେ ଅଟ ଭୋଗେ ଅଧିକାରୀ

ଶ୍ୟାମ ସୁନ୍ଦର ହେ, ମଦନ ମୋହନ ବେଣୁଧର

ସଦ୍ୟ କିଣାଦାସୀ ବେଗେ ହେଲେ ତୋଷୀ

କ୍ଷମାନିଧି ଡାକି ଘେନିବାର ।୩୦।

 

ସ୍ୱଭାବେ ମୋର ନୟନ ପ୍ରଭୁ ତୁମ୍ଭେ

ତୁମ୍ଭ ବିନୁ ନ ଜାଣଇ ଆନ

ସଙ୍ଗ ଭଙ୍ଗ ହେଲେ ଜ୍ଞାନ ନ ରହଇ

ଜଳ ଅଭାବରେ ଯେହ୍ନେ ମୀନ

ସୁଧା ସାଗର ହେ, ଶୋଭା ସ୍ନେହ ଗୁଣେ ବଶ ହୋଇ

ସତ କହୁଛି ନ ବାଧଇ ଗଞ୍ଜଣା

ତୁମ୍ଭ ଶ୍ରୀମୁଖକୁ ଦେଲେ ଚାହିଁ ।୩୧।

 

ଭାବାର୍ଥ- (୨୮-୩୧) ରାଧାଙ୍କୁ କୋଳରେ ଧରି କୃଷ୍ଣ ଆନନ୍ଦରେ ଛାତିରେ ଆଉଜାଇ ନେଲେ ଓ ଆଲଟ ଧରିଲେ । ରାଧାକୃଷ୍ଣ ଶୋଭା ପାଇଲେ । ମନେ ହେଲା ପ୍ରଜ୍ଜଳିତ ସ୍ୱର୍ଣ୍ଣ ପ୍ରତିମା ପଛରେ ଯେମିତି ନୀଳମଣି ତନୁ ଶୋଭା ପାଉଛି । କୃଷ୍ଣ କହିଲେ- ହେ ପ୍ରାଣସଖି, ମନ ମଧ୍ୟରେ ମୋ ପ୍ରତି ଦୟା ରଖିଥିବୁ । ବିକା ହୋଇଥିବା ଦାସ ଜନଠାରେ କଦାପି ରୋଷ କରିବୁ ନାହିଁ । ରେ ଚନ୍ଦ୍ରମୁଖୀ, ତୁ ତ ମୋର ପ୍ରାଣଧନ, ବ୍ରଜପୁର ବା ମଥୁରାପୁର ଗଲେ ତୋତେ ଧ୍ୟାନ କରୁଥାଏ । ଏହା ଶୁଣି ରାଧା କୃତକୃତ୍ୟ ହେଲେ । କହିଲେ, ହେ ଶ୍ୟାମସୁନ୍ଦର, ବେଣୁଧର । ମୁଁ ତୁମର ସଦ୍ୟ କିଣାଦାସୀ । ତୁମେ ତ କ୍ଷମାନିଧି ।

 

ସ୍ୱଭାବରେ ତୁମେ ମୋର ଚକ୍ଷୁ । ତୁମ ବିନା ମୁଁ ଅନ୍ୟ କିଛି ଜାଣେ ନାହିଁ । ସଙ୍ଗଭଙ୍ଗ ହେଲେ ଜ୍ଞାନଭ୍ରଷ୍ଟ ହୁଏ । ଯେମିତି ଜଳ ବିନା ମାଛର ଅବସ୍ଥା ହୋଇଥାଏ । ହେ ସୁଧାସାଗର, ଶୋଭା ସ୍ନେହ ଗୁଣରେ ବଶ ହୋଇ ସତ କହୁଛି, ତୁମ୍ଭ ଶ୍ରୀମୁଖକୁ ଚାହିଁ ଦେଲେ ଗଞ୍ଜଣା ବାଧୁନାହିଁ-

 

ଶ୍ରୀହରି ଯେ ହସି ଭାସିଲେ ସୁବେଶୀ

ଚତୁରୀ ରମଣୀ ଶିରୋମଣି

ସବୁ ଚାତୁରୀ ତୋ ଦେହେ ଅଛି ପୂରି

ଘେନା ଘେନିଲେ କି ହେବ ଜିଣି

ସୁଖଦାୟିନୀରେ, ସନ୍ତୋଷେ ମେଲାଣି ଦିଅ ମୋତେ

ସଲଜ୍ଜ ହୋଇ ରମଣୀ ରତ୍ନ ବୋଲେ

ଏହି ଅନୁଗ୍ରହ ଥିବ ଚିତ୍ତେ ।୩୨।

 

ହଂସଗମନୀ ହରିଙ୍କି ଏତେ କହି

ହାସ ଭାଷ କଉତୁକ ରସେ

ହସ୍ତେ ହସ୍ତ ଦେଇ ମନ୍ଦ ମନ୍ଦ ହୋଇ

ଗଲେ ପୁରଯାଏ ମତି ତୋଷ

ହର ବ୍ରହ୍ମାଯାଇ ଭେଟକୁ ନ ପାନ୍ତି ଅବକାଶ

ହାରପରା ତାଙ୍କ ଗଳା ମାଳା ହୋଇ

ଗୋପୀମାନେ କରିଛନ୍ତି ବଶ ।୩୩।

 

କ୍ଷିତି ମଧ୍ୟେ ସାର କୃଷ୍ଣ ଅବତାର

ବରଜ ଯୁବତୀ ସଙ୍ଗେ ଲୀଳା

ଛଇଳ ଜନମାନଙ୍କ ଚିନ୍ତାମଣି

ଭକତ ଜନଙ୍କ କଣ୍ଠମାଳା

ଛାତି ସର୍ବ ରସ, ରଜନୀ ଦିବସ ନିରନ୍ତରେ

କ୍ଷମେ ଶ୍ରୀନନ୍ଦ ନନ୍ଦନ ଚିନ୍ତାକରେ

ଦୀନ କୃଷ୍ଣ ଦାସ ମାନସରେ ।୩୪।

 

ଭାବାର୍ଥ- (୩୨-୩୪) କୃଷ୍ଣ ହସି କରି କହିଲେ- ରେ ସୁକେଶୀ, ସବୁ ଚାତୁରୀ ତୋ ଦେହରେ ପୂରିଛି । ରେ ସୁଖଦାୟିନି, ମୋତେ ସନ୍ତୋଷରେ ମେଲାଣି ଦିଅ । ଏହା ଶୁଣି ରାଧା କହିଲେ- ଏହି ଅନୁଗ୍ରହ ମନରେ ଥାଉ ।

 

ରାଧା ଏହି କଥା କୃଷ୍ଣଙ୍କୁ କହି ହସ ହସ ମୁଖରେ ପୁରକୁ ଫେରିଗଲେ । ହରବ୍ରହ୍ମା ଯାହାକୁ ସାକ୍ଷାତ କରିପାରନ୍ତି ନାହିଁ, ଗୋପୀମାନେ ତାଙ୍କୁ ହାର ପରି ବଶ କରିଛନ୍ତି ।

 

ଜଗତ ମଧ୍ୟରେ କୃଷ୍ଣ ଅବତାର ଶ୍ରେଷ୍ଠ । ସେ ଏବେ ବ୍ରଜ ରମଣୀଙ୍କ ସହ ଲୀଳା କରୁଛନ୍ତି । ସେ ଛଇଳଜନଙ୍କ ଚିନ୍ତାମଣି ଓ ଭକ୍ତଙ୍କ କଣ୍ଠମାଳା । ସର୍ବରସ ଛାଡ଼ି ରାତିଦିନ ଶ୍ରୀକୃଷ୍ଣଙ୍କ ଚିନ୍ତାରେ କବି ମନ ଧ୍ୟାନ ଦେଇଛନ୍ତି ।

Image